ଦଳୀୟ ବିଧାୟକଙ୍କୁ ନବୀନଙ୍କ ‘କରୋନା’ ଟିପ୍ସ: ଗହଳିକୁ ଯାଅନି କି ଗହଳି କରନି

ଭୁବନେଶ୍ୱର:-ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳୀୟ ବିଧାୟକମାନଙ୍କୁ ‘କରୋନା’ ମୁକାବିଲା ପାଇଁ ଟିପ୍‌ସ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ଦଳୀୟ ବିଧାୟକମାନଙ୍କୁ ଗହଳିକୁ ନଯିବା ଓ ଗହଳି ନକରିବାକୁ ନବୀନ ପରାମର୍ଶ ଦେବା ସହ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ କହିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳୀୟ ବିଧାୟକମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କରୋନା ଯୁଦ୍ଧରେ ବିଧାୟକମାନଙ୍କୁ ସଂଯମତା ଆଚରଣ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଯୁଦ୍ଧରେ ବିଧାୟକମାନଙ୍କ ଭୂମିକା ବଡ଼ ରହିଛି ଓ ବିଧାୟକମାନଙ୍କ ନେତୃତ୍ୱ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ରହିଛି। ତେଣୁ ବିଧାୟକମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ଗତିବିଧି ଓ ପଦକ୍ଷେପରେ କୋଭିଡ୍ ଗାଇଡଲାଇନକୁ ପାଳନ କରି ଦଳୀୟ କର୍ମୀମାନେ ଏହି ସଙ୍କଟ ସମୟରେ ଯେପରି ନିଜ ତଥା ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ ସେଥିପାଇଁ ପ୍ରେରଣା ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାସହିତ କରୋନା ମୁକାବିଲା ଓ ସଙ୍କଟର ପରିଚାଳନା ପାଇଁ ୮ଟି ଦିଗ ସମ୍ପର୍କରେ ବିଧାୟକମାନଙ୍କୁ ଶ୍ରୀ ପଟ୍ଟନାୟକ ସୂଚିତ କରିଛନ୍ତି।
ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଧାୟକ ଭାବେ ଅନେକ ବିକାଶ କାମ କରିଥାଇପାରନ୍ତି। କିନ୍ତୁ ଏହି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନରେ ଏବେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି।

ଲୋକଙ୍କ ଜୀବନ ଓ ମୃତ୍ୟୁ ସହ ଏହି ଆହ୍ୱାନ ରହିଛି। ଏହି ମହାମାରୀ ଲୋକଙ୍କ ସେବା କରିବା ପାଇଁ ତଥା ସେମାନଙ୍କ ଜୀବନକୁ ନିରାପଦ କରିବା ନିମନ୍ତେ ପୂର୍ବ ତୁଳନାରେ ଅନେକ ସୁଯୋଗ ସୃଷ୍ଟି କରିଛି। ଲକଡାଉନ୍ ପରେ ପ୍ରାୟ ୭ଲକ୍ଷ ଓଡ଼ିଆ ଫେରିଛନ୍ତି। ନୂଆ ଚିନ୍ତାଧାରା କରୋନା ଯୁଦ୍ଧରେ ବହୁତ ସାହାଯ୍ୟ କରିଛି ଓ ପରିସ୍ଥିତିକୁ ମଧ୍ୟ ଓଡ଼ିଶା ଠିକ୍ ଭାବେ ମୁକାବିଲା କରିପାରିଛି। ଓଡ଼ିଶା ଫେରିଥିବା ପ୍ରବାସୀଙ୍କ ଟ୍ରେନଭଡ଼ା ଓ କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏହାସହିତ ୧୪ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଛି।ଯେଉଁ ୮ଟି ପ୍ରସଙ୍ଗ ଉପରେ ନବୀନ ଆଜି ଦଳୀୟ ବିଧାୟକମାନଙ୍କୁ ଅବଗତ କରିଛନ୍ତି ସେଥିରେ ଦଳର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ପ୍ରତି ଗାଁରେ ଥିବା ଦଳୀୟ କର୍ମୀମାନଙ୍କୁ କୋଭିଡ୍ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରାଇବା, ବୟସ୍କ ଲୋକଙ୍କର ଅଧିକ ଯତ୍ନ ନେବା, ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ପ୍ରତି ଲୋକଙ୍କୁ ସଚେତନ କରାଇବା, ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା ଓ ଗହଳିକୁ ନଯିବା ନିମନ୍ତେ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *