ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଜବ ନୀତି, ସରକାରୀ ସହାୟତା ପାଇଁ ବୃଦ୍ଧାଙ୍କୁ ଖଟିଆରେ ଟାଣି ଟାଣି ନେଲେ

ନୂଆପଡା-  ଖଟିଆରେ ୧୨୦ ବର୍ଷିୟ ବୃଦ୍ଧା । ଯାହାଙ୍କୁ ଟାଣି ଟାଣି ନେଉଛନ୍ତି ଅନ୍ୟ ଜଣେ ୬୦ ବର୍ଷିୟ ବୃଦ୍ଧା । ଏବେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଛି ଖଟିଆ ଟଣା କଥା । ଦୃଶ୍ୟଟି ହେଉଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବରଗାଁ ଗାଁର । ୧୨୦ ବର୍ଷୀୟ ବୃଦ୍ଧାଙ୍କ ନାଁ ଲବେ ବାଗ ।

ତାଙ୍କୁ ଏପରି ଟାଣିଟାଣି ନେଉଛନ୍ତି ତାଙ୍କ ଝିଅ ପଞ୍ଚୁମତି । ଜନଧନ ଯୋଜନାରେ ବୃଦ୍ଧାଙ୍କ ଖାତାକୁ ଆସିଥିଲା ସହାୟତା ଅର୍ଥ । ଝିଅ ପଞ୍ଚୁମତି ମା ଲବେଙ୍କ ପାଇଁ ଟଙ୍କା ଉଠାଇ ଆଣିବାକୁ ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ । ହେଲେ ପ୍ରକୃତ ହିତାଧିକାରୀ ନ ଆସିବା ପର୍ଯ୍ୟନ୍ତ ଅର୍ଥ ଦିଆଯାଇପାରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସଫା ସଫା ଶୁଣାଇ ଦେଇଥିଲେ । ତେଣୁ ବାଧ୍ୟ ହୋଇ ଏପରି ନିଜ ମାକୁ ଖଟିଆରେ ଟାଣିଟାଣି ପାଖାପାଖି ୩ ଶହ ମିଟର ନେଇଥିଲେ ପଞ୍ଚୁମତି ।

ସେଠାରେ ବାହାରେ ୱିଡ୍ରାଲ୍ ପେପରରେ ଟିପ ଚିହ୍ନ ନେବା ପରେ ୧୫ ଶହ ଟଙ୍କା ମିଳିଥିଲା । ସରକାର ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଦେଖାଇଛନ୍ତି । ବୟସ୍କଙ୍କ ସହାୟତା ଅର୍ଥ ଘରେ ନେଇ ବ୍ୟାଙ୍କ ପହଞ୍ଚାଇବା ପାଇଁ ବି ବ୍ୟବସ୍ଥା କରିଥିବା କଥା କୁହାଯାଉଛି । ହେଲେ ଏଠି ଜଣେ ବୃଦ୍ଧାଙ୍କୁ ଏପରି ଅବସ୍ଥାରେ ବ୍ୟାଙ୍କରେ ପହଞ୍ଚିବାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *