ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ, ସଭାପତି ଲାଇନ୍‌ରେ ୧୭ ନେତା

ଭୁବନେଶ୍ୱର: ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ ଶିବିର । ପୁଣି ଉଠିଲା ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ । ସୁର କହିଲେ ପିସିସି ସଭାପତି ରେସ୍‌ରେ ଅଛନ୍ତି ୧୭ ଜଣ ନେତା । ଭକ୍ତ ଓ ଶରତ ବି ରଖିଲେ ମତ । ଜାତୀୟ ସ୍ତରରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ଅଦଳବଦଳ ପରେ ଏବେ ଫୋକସ୍‌ରେ ରାଜ୍ୟ କଂଗ୍ରେସ । ପ୍ରଥମ ପଦକ୍ଷେପ ଭାବେ ଓଡ଼ିଶା ପ୍ରଭାରୀ ଦାୟିତ୍ୱରୁ ଜିତେନ୍ଦ୍ର ସିଂହଙ୍କୁ ହଟାଇ ନୂଆ ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ନିଯୁକ୍ତି ମିଳିଛି ।

ଏହାପରେ ଚଳଚଞ୍ଚଳ ହୋଇଛି ରାଜ୍ୟ କଂଗ୍ରେସ ଶିବିର । ଚେଲ୍ଲା କୁମାର ଜଣେ ଭଲ ସଂଗଠକ ହୋଇଥିବାରୁ ରାଜ୍ୟ କଂଗ୍ରେସର ସବୁ ନେତାଙ୍କୁ ଏକ୍‌ଜୁଟ୍‌ କରିବାରେ ସଫଳ ହେବେ ବୋଲି ଦଳର ନେତାମାନେ କହିଛନ୍ତି । ଏହାସହ ଚେଲ୍ଲା କୁମାର ରାଜ୍ୟ କଂଗ୍ରେସର ସ୍ଥିତି ସର୍ମ୍ପକରେ ଜାଣିଛନ୍ତି ଏବଂ ଓଡ଼ିଶା ନେତାଙ୍କ ସହ ଯୋଗାଯୋଗରେ ଥିବା ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ ଭକ୍ତ ଦାସ କହିଛନ୍ତି । କଂଗ୍ରେସରେ ଏବେ ବିଦ୍ରୋହୀଙ୍କ ସ୍ଥାନ ନାହିଁ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

କଂଗ୍ରେସରେ ପରିବର୍ତ୍ତନ ଦରକାର ଥିଲା ବୋଲି ବିଧାୟକ ସୁରେଶ ରାଉତରାୟ ଓ ଏଆଇସିସି ସଦସ୍ୟ ଶରତ ରାଉତ କହିଛନ୍ତି । ରାଜ୍ୟ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ନେଇ ଏହା ସଙ୍କେତ ବୋଲି ଶରତ କହିଛନ୍ତି । ଆଗକୁ ତୃଣମୂଳ ସ୍ତରରୁ ଆରମ୍ଭ କରି ପିସିସି ସଭାପତି ଯାଏଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ପିସିସି ସଭାପତି ରେସ୍‌ରେ ୧୭ ଜଣ ନେତା ଥିବା ସୁର କହିଛନ୍ତି ।ଖୁବ୍‌ଶୀଘ୍ର ନବନିଯୁକ୍ତ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଡିସେମ୍ବର ପରେ ରାଜ୍ୟ କଂଗ୍ରେସର ନବକଳେବର ହେବ ବୋଲି କଂଗ୍ରେସ ନେତାଏ କହିଛନ୍ତି । ତେବେ ନୂଆ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶାରେ ତୃତୀୟ ନମ୍ବରରେ ଥିବା ରାଜ୍ୟ କଂଗ୍ରେସକୁ କେଉଁ ସଞ୍ଜୀବନୀ ଦେବେ ତା’ ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *