ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ

ଚନ୍ଦକା,:-ପଶୁପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏହାପରେ ଏମାନଙ୍କ ସଂଖ୍ୟା ୫କୁ ଖସି ଆସିଛି । ମୃତ୍ୟୁର କାରଣ ତରଳଝାଡ଼ା ବୋଲି କୁହାଯାଉଛି । ତଥାପି ମୃତ ଆନାକୋଣ୍ଡାର ବ୍ୟବଚ୍ଛେଦ ପରେ ଏହାର କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମୃତ ଆନାକୋଣ୍ଡାଟି ବହୁ ଦିନରୁ ତରଳ ଝାଡ଼ାରେ ଆକ୍ରାନ୍ତ ଥିଲା । ତା’କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇ ଚିକିତ୍ସା କରାଯାଉଥିଲା । ତଥାପି ତାକୁ ବଞ୍ଚାଇ ରଖିବା କର୍ତ୍ତୃପକ୍ଷଙ୍କ ପକ୍ଷରେ ସମ୍ଭବ ହେଲାନି । ଶୁକ୍ରବାର ପୂର୍ବାହ୍ନରେ ତା’ର ମୃତ୍ୟୁ ଘଟିଲା ।

ସୂଚନାଯୋଗ୍ୟ, ଗତ ୨୦୧୯ ଅକ୍ଟୋବର ୨୨ ତାରିଖରେ ମାଡ୍ରାସ କ୍ରୋକୋଡାଇଲ୍‌ ବ୍ୟାଙ୍କ ଟ୍ରଷ୍ଟ(ଏମସିବିଟି)ରୁ ଏହି ଆନାକୋଣ୍ଡାଟି ଆସିଥିଲା । ଏହାକୁ ନେଇ ସେଠାରୁ ମୋଟ୍‌ ୮ଟି ଆନାକୋଣ୍ଡା ନନ୍ଦନକାନନ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଗାଡ଼ି କରି ଆଣିଥିଲେ । ଏମାନେ ସବୁ ହଳଦିଆ ଆନାକୋଣ୍ଡା ପ୍ରଜାତିର ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏମାନଙ୍କୁ କିଛିଦିନ ଧରି ଏକ ବାକ୍ସରେ ରଖାଯାଇଥିଲା । ତାପରେ ସ୍ୱତନ୍ତ୍ର ଖୁଆଡ଼ ୪୫(କେ)ରେ ରଖାଯାଇଥିଲା ।

ଏମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଜମୁଥିଲା । ୨୦୧୯ ନଭେମ୍ବର ୨୮ ତାରିଖରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ତା’ର ଠିକ୍‌ ଦୁଇ ଦିନ ପରେ ଅର୍ଥାତ ୩୦ ନଭେମ୍ବରରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଲା । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଏହି ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ୮ଟି ଆନାକୋଣ୍ଡାରୁ ୨ଟି ମରିଯିବା ପରେ ଏମାନଙ୍କ ସଂଖ୍ୟା ୬ ଥିଲା ।

ଗତକାଲି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହେବାରୁ ଏମାନଙ୍କ ସଂଖ୍ୟା ଏବେ ୫କୁ ଖସିଆସିଛି ।

Leave a Reply

Your email address will not be published. Required fields are marked *