ଉପକୂଳ ଜିଲ୍ଲାରେ ବନ୍ୟା ଆଶଙ୍କା, ସୃଷ୍ଟି ହୋଇଛି ମୋଟ ୨୬ଟି ଘାଇ

ଭୁବନେଶ୍ବର:- ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରକୁଦର ୪୪ଟି ଗେଟ୍ ଖୋଲା ରହିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳୀରେ ପହଞ୍ଚିବ । ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ଏ ସମସ୍ତ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ବୈତରଣୀ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ରହିଛି । ଅନ୍ୟ ନଦୀର ଜଳସ୍ତର କମୁଛି । ବନ୍ୟା ଦ୍ବାରା ମୋଟ ୨୬ଟି ଘାଇ ସୃଷ୍ଟି ହୋଇଛି । ଯାଜପୁରର ବରୀରେ ସର୍ବାଧିକ ଘାଇ ସୃଷ୍ଟି ହୋଇଛି । ଅନ୍ୟ ୪୮ ଦୁର୍ବଳ ସ୍ଥାନ ଉପରେ ନଜର ରଖାଯାଇଛି । ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ କରାଯିବ ।

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ମୋଟ ୪୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ରହିଛି ୬୨୬.୨୭ ଫୁଟ ଜଳ । ଏବେ ହୀରକୁଦ ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୮ ଲକ୍ଷ ୮୫ ହଜାର ୭୬୨ କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୬ ଲକ୍ଷ ୯୫ ହଜାର ୧୬୬ କ୍ୟୁସେକ୍ ଜଳ । ଛତିଶଗଡରୁ ଆରମ୍ଭ କରି ପାରାଦୀପ ଯାଏଁ ସବୁଠି ମହାନଦୀ ଆଜି ବିକଟାଳ ରୂପ ଧରିଛି । କ୍ରମାଗତ ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ଫୁଲି ଉଠିଛି ।

ବିଗତ ପ୍ରାୟ ୬ ବର୍ଷ ପରେ ଉପରମୁଣ୍ଡରେ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୧.୨୨ ମିମି ବର୍ଷା ରେକର୍ଡ ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଏକକାଳୀନ ସାଢେ ୮ଲକ୍ଷ କ୍ୟୁସେକ୍ ରୁ ଅଧିକ ପାଣି ପ୍ରବେଶ କରୁଛି । ବର୍ତ୍ତମାନ ମୋଟ୍  ୪୪ଟି ଗେଟ୍  ଦେଇ ଜଳ ନିଷ୍କାସନ ଜାରି ରହିଛି । ୨୦୧୪ ମସିହା ପରଠାରୁ ପ୍ରଥମ କରି ଏତେ ପରିମାଣର ଗେଟ୍  ଖୋଲାଯାଇଛି । ଏକକାଳୀନ ୪୪ଟି ଗେଟ୍  ଖୋଲିବା ପରେ ସମ୍ବଲପୁର ସହରର ତଳି ଅଞ୍ଚଳକୁ ପଛୁଆ ପାଣି ପଶି ଶତାଧିକ ଘର ଜଳମଗ୍ନ ହୋଇଛି । ହୀରାକୁଦର ତଳମୁଣ୍ଡର ବୌଦ୍ଧ ଓ ସୋନପୁରରୁ ଆରମ୍ଭ କରି ଉପକୂଳ ଓଡିଶା ଯାଏଁ ଗୁରୁବାରଠାରୁ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ଉପରମୁଣ୍ଡ ଛତିଶଗଡର ପାଣି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *