ମାନିଲା ପାକିସ୍ତାନ: କରାଚିରେ ରହୁଛି ଦାଉଦ ଇବ୍ରାହିମ, ଆତଙ୍କବାଦୀ ତାଲିକାରେ ସାମିଲ କଲା ନାଁ

ଇସଲାମାବାଦ :- ପାକିସ୍ତାନ ଏଫଏଟିଏଫର ଧୂସର ତାଲିକାରୁ ବାହାରିବା ପାଇଁ ବ୍ୟାକୁଲ ହୋଇ ଉଠିଛି। ତେଣୁ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ସଂରକ୍ଷଣ ଦେଇ ଆସୁଥିବା ପାକିସ୍ତାନ ଏବେ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି। ଏହି କ୍ରମରେ ଆମର ଏହି ପଡୋଶୀ ଦେଶ ୮୮ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ କଡା ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ସବୁଠୁ ବଡ କଥା ଏହି ତାଲିକାରେ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ନାମ ମଧ୍ୟ ସାମିଲ।

ଦାଉଦ ଇବ୍ରାହିମର ନାମ ପାକିସ୍ତାନ ତରଫରୁ ଜାରି ତାଲିକାରେ ରହିଛି। ସବୁଠୁ ଖାସ୍ କଥା ପାକିସ୍ତାନ ସରକାର ପକ୍ଷରୁ ଜାରି ଏହି ସୂଚୀରେ ଦାଉଦର ନାମ ସହିତ ତାର ଠିକଣା ହ୍ଵାଇଟ୍ ହାଉସ୍, କରାଚି ବୋଲି ଦର୍ଶାଯାଇଛି। କାରଣ ଦୀର୍ଘ ବର୍ଷ ଧରି ପାକିସ୍ତାନ ଏହା ଅସ୍ଵୀକାର କରି ଆସୁଥିଲା ଯେ, ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ତାରି ଦେଶରେ ନାହିଁ।

ଏମିତିରେ ଏବେ ପ୍ରଶ୍ନ ଉଠୁଛି ଯେ କଣ ପାକିସ୍ତାନ ଦାଉଦ ଇବ୍ରାହିମର ଉପସ୍ଥିତିକୁ ନେଇ ଏହି ତଥ୍ୟକୁ ମନା କରିବ କି ସ୍ଵୀକାର କରିବ। ପାକିସ୍ତାନ ଏ ପର୍ଯ୍ୟନ୍ତ ତାରି ଦେଶରେ ଦାଉଦ୍ ନଥିବା କହି ଆସିଛି। କିନ୍ତୁ ଦାଉଦ କରାଚିରେ ରହୁଥିବା ପାକିସ୍ତାନ ସରକାରର ଦସ୍ତାବିଜରୁ ଜଣା ପଡିଛି।  ପାକିସ୍ତାନ ସରକାର ପକ୍ଷରୁ ଆତଙ୍କୀ ସଂଗଠନ ଉପରେ ପ୍ରତିବନ୍ଧକ ଅଗଷ୍ଟ ୧୮ରୁ ଜାରି କରାଯାଇଥିଲା।

ପାକିସ୍ତାନ ଦାଉଦ ଇବ୍ରାହିମ ସମେତ ହାଫିଜ ସଇଦ ଓ ମସୁଦ ଅଜହର ପରି ଆତଙ୍କବାଦୀ ଓ ଆତଙ୍କୀ ସଂଗଠନ ଉପରେ କଡା ପ୍ରତିବନ୍ଧକ ଲଗାଇଛି। ଏହା ସହିତ ସେମାନଙ୍କର ସମସ୍ତ ସଂପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଖାତାକୁ ଫ୍ରିଜ କରିବା ଆଦେଶ ଦେଇଛନ୍ତି। ଏ ପର୍ଯ୍ୟନ୍ତ ସେମାନଙ୍କର ବିଦେଶ ଯାତ୍ରା ଉପରେ ମଧ୍ୟ ବ୍ୟାନ୍ ଲଗାଇଛି।

Leave a Reply

Your email address will not be published. Required fields are marked *