ଧୋନିଙ୍କ ଯୁଗ ଶେଷ, ରନ ଆଉଟରୁ ଆରମ୍ଭ ରନ୍‌ ଆଉଟରେ ଶେଷ,ଅନ୍ତର୍ଜାତୀୟ କ୍ରିକେଟକୁ ନେଲେ ଅଲବିଦା

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି। ଆଜି ପରେ ଆଉ ଟିମ ଇଣ୍ଡିଆର ଜର୍ସିରେ ଧୋନିଙ୍କୁ ଦେଖିବାକୁ ମିଳିବ ନାହିଁ।  ଧୋନି ଅବସର ନେଇଛନ୍ତି ବୋଲି ବିଶ୍ୱାସ କରିପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧୋନି ତାଙ୍କ ପ୍ରଥମ ମ୍ୟାଚ୍‌ରେ ରନ୍‌ ଆଉଟ ହୋଇଥିଲେ। ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବି ଧୋନି ରନ୍‌ ଆଉଟ ହୋଇଥିଲେ। ସେହି ରନ୍‌ ଆଉଟ ପରେ ଧୋନିଙ୍କ ଯୁଗର ଶେଷ ହୋଇଛି।

ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କୁଲ ଧୋନି ୨୦୧୯ ଡିସେମ୍ବର ୨୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଥିଲେ। କୁହାଯାଉଥିଲା ସେ ୨୦୨୧ ଟି-୨୦ ବିଶ୍ୱକପ ଖେଳିବେ। ହେଲେ ସବୁ ସ୍ୱପ୍ନ ଆଜି ଅଧା ରହି ଯାଇଛି।

ବିଶ୍ୱ କ୍ରିକେଟରେ ଧୋନି ଏକମାତ୍ର କ୍ୟାପଟେନ୍‌, ଯିଏ ଆଇସିସିର ତିନିଟି ଯାକ ବଡ଼ ଟ୍ରଫି ଉପରେ କବଜା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଜିତିଥିଲା। ଏହା ବ୍ୟତୀତ ଭାରତ ୨୦୦୯ରେ ପ୍ରଥମଥର ଟେଷ୍ଟରେ ଧୋନିଙ୍କ ନେତୃତ୍ୱରେ ଏକ ନମ୍ବର ଟିମ୍ ହୋଇଥିଲା।

ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଯାତ୍ରା: ଅନ୍ତର୍ଜାତୀୟ କ୍ରିକେଟରେ ଅନ୍ୟ କ୍ରିକେଟରଙ୍କ ତୁଳନାରେ ଧୋନିଙ୍କ ବ୍ୟକ୍ତିତ୍ୱ ବେଶ ଭିନ୍ନ ରହିଥିଲା। ଜୁନିୟର କ୍ରିକେଟରେ ସେ ବିହାର କ୍ରିକେଟ୍ ଟିମ୍ ପାଇଁ ଖେଳୁଥିଲେ। ଏହାପରେ ଝାରଖଣ୍ଡ କ୍ରିକେଟ୍ ଟିମରୁ ଇଣ୍ଡିଆ-ଏ ଟିମ୍ ପର୍ଯ୍ୟନ୍ତ ଏବଂ ସେଠାରୁ ଭାରତୀୟ ଟିମ୍ ପର୍ଯ୍ୟନ୍ତ ଆସିବା ପାଇଁ ତାଙ୍କୁ ୫ରୁ ୬ ବର୍ଷ ଲାଗି ଯାଇଥିଲା।

ସେ ୧୯୯୮ରେ ଜୁନିୟର କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ ଓ ୨୩ ଡିସେମ୍ବର, ୨୦୦୪ରେ ବାଂଲାଦେଶ ବିପକ୍ଷ ଦିନିକିଆ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଶୁଭାରମ୍ଭ କରିଥିଲେ।

ଧୋନି ବାଂଲାଦେଶ ବିପକ୍ଷ ନିଜର ପ୍ରଥମ ସିରିଜରେ କିଛି କମାଲ କରିପାରିନଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ରନ୍‌ ଆଉଟ ହୋଇଯାଇଥିଲେ। ସଂଯୋଗ ବଶତଃ ୨୦୧୯ ମସିହା ଧୋନି ତାଙ୍କ ଶେଷ ମ୍ୟାଚ୍‌ରେ ରନ୍‌ ଆଉଟ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ସେମି ଫାଇନାଲରେ ଧୋନି ରନ୍‌ ଆଉଟ ହେବାରୁ ଭାରତ ଫାଇନାଲକୁ ପ୍ରବେଶ କରି ପାରି ନଥିଲା।

ନିଜର ପ୍ରଥମ ସିରିଜ୍‌ରେ ଫେଲ ମାରିଥିବା ଧୋନି ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ସିରିଜରେ ନିଜର ପଞ୍ଚମ ମ୍ୟାଚରେ ବିଶାଖାପାଟଣାରେ ୧୨୩ ବଲରେ ୧୪୮ ରନର ଇନିଂସ୍ ଖେଳି ସମସ୍ତଙ୍କୁ ଜଳକା କରିଦେଇଥିଲେ। ସେତେବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସେହି ଲମ୍ବା ଚୁଟି ଥିବା ବ୍ୟକ୍ତି (ଧୋନି) କିଏ? ଏହାପରେ ଧୋନି ଆଉ ପଛକୁ ନ ଚାହିଁ, ଆଗକୁ ମାଡ଼ି ଚାଲିଥିଲେ। ୨୦୦୭ରେ ଧୋନିଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ଆଉ ପ୍ରଥମ ଟି-୨୦ ବିଶ୍ୱକପରେ ସେ ଭାରତକୁ ଚାମ୍ପିୟନ କରାଇଥିଲେ।

୨୦୦୮ରେ ସେ ଯେତେବେଳେ ଦିନିକିଆ ଦଳର ନେତୃତ୍ୱ ଭାର ସମ୍ଭାଳିଲେ, ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିଲା। ଯେପରିକି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଓ ଭବିଷ୍ୟତ ପାଇଁ ଟିମ୍ ପ୍ରସ୍ତୁତ କରିବା ଭଳି ଗୁରୁ ଦାୟିତ୍ୱ ତାଙ୍କ କାନ୍ଧରେ ରହିଥିଲା। ଧୋନି ସେସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ଭାରତୀୟ ଟିମକୁ ଅନେକ ଐତିହାସିକ ସଫଳତା ଦେଇଛନ୍ତି।

ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ୨୦୦୯ରେ ଟେଷ୍ଟରେ ଏକ ନମ୍ବର ଟିମର ସ୍ୱାଦ ଚାଖିଥିଲା। ଡିସେମ୍ବର ୨୦୧୪ରେ ଧୋନି ଟେଷ୍ଟ କ୍ରିକେଟରୁ ଅଚାନକ ସନ୍ନ୍ୟାସ ଘୋଷଣା କରିଥିଲେ। ଧୋନି ୨୦୧୭ ଆରମ୍ଭରୁ ହିଁ ଦିନିକିଆ ଓ ଟି-୨୦ କ୍ୟାପଟେନ ପଦକୁ ମଧ୍ୟ ସେହି ଷ୍ଟାଇଲରେ ଅଲବିଦା କହିଥିଲେ। ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ବି ଧୋନି ଅଚାନକ ବାଏବାଏ କହିଛନ୍ତି।

୨୦୧୯ ବିଶ୍ୱକପରେ ଧୋନି ନିଜର ଧିମା ବ୍ୟାଟିଂ ପାଇଁ ଖୁବ୍ ସମାଲୋଚିତ ହୋଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ରନ୍ ଆଉଟ୍ ହୋଇଥିଲେ, ଯାହା ପରେ ଭାରତର ଆଶା ଧୂଳିସାତ୍ ହୋଇଯାଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଥିଲେ।

ଏହା ମଧ୍ୟରେ ସେ ଟେରିଟୋରିଆଲ୍ ଆର୍ମି ୟୁନିଟ୍ ସହ କଶ୍ମୀରରେ ୧୫ ଦିନ ବିତାଇଥିଲେ। ଧୋନି ବିଶ୍ୱକପ୍ ପରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଖେଳିନାହାନ୍ତି। ଏଭଳି ଲାଗୁଥିଲା ଯେ ଧୋନି ୨୦୧୯ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ, କିନ୍ତୁ ସେ ସମସ୍ତଙ୍କୁ ଏଯାଏ ଝୁଲାଇ ରଖିଥିଲେ।

 ଧୋନି ଭାରତ ପକ୍ଷରୁ ୩୫୦ ମ୍ୟାଚ୍ ଖେଳି ୫୦.୫୭ ହାରରେ ୧୦,୭୭୩ ରନ୍ କରିଛନ୍ତି, ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ରହିଛି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୧୮୩। ଦିନିକିଆରେ ଧୋନିଙ୍କ ନାଁରେ ଗୋଟିଏ ୱିକେଟ୍ ମଧ୍ୟ ରହିଛି। ଧୋନି ଭାରତ ପକ୍ଷରୁ ୯୦ଟି ଟେଷ୍ଟ ମ୍ୟାଚରେ ୩୮.୦୯ ହାରରେ ୪୮୭୬ ରନ୍ କରିଛନ୍ତି, ଯେଉଁଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ୍ ଅଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୨୨୪ ରନ୍ ରହିଛି। ଧୋନି ୯୮ ଟି-୨୦ ମ୍ୟାଚରେ ୩୭.୬୦ ହାରରେ ୧୬୧୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ୍ ଅଛି। ଟି-୨୦ରେ ଧୋନିଙ୍କ ସର୍ବୋଚ୍ଚ ସ୍କୋର ୫୬ ରନ୍ ରହିଛି

Leave a Reply

Your email address will not be published. Required fields are marked *