ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭବ୍ୟ ଭୂମି ପୂଜନ ସମାରୋହ ପାଇଁ ସଜେଇ ହେଉଛି ଅଯୋଧ୍ୟା

ଅଯୋଧ୍ୟା:- ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ । ହେଲେ ଆଜିଠାରୁ ଆରମ୍ଭ ହୋଇଗଲାଣି ଅଯୋଧ୍ୟାରେ ରାମନାମ । ମନ୍ଦିର ନଗରୀର ଗଳି କନ୍ଦିରେ ରାମଙ୍କ ଛବି ଥିବା ଗେରୁଆ ପତାକା ଉଡୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ସାମିଲ ହେଉଥିବାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭବ୍ୟ ଭୂମି ପୂଜନ ସମାରୋହ ପାଇଁ ସଜେଇ ହେଉଛି ଅଯୋଧ୍ୟା । ମନ୍ଦିର ନଗରୀର ଗଳି କନ୍ଦିରେ ଉଡୁଛି ଜୟ ଶ୍ରୀରାମ ଲେଖା ପତାକା । ଆଉ, ଗେରୁଆ ପତାକାରେ ରହିଛି ଭଗବାନ ରାମଙ୍କ ଛବି । ଚାରିଆଡେ ଶୁଭିଲାଣି ରାମ ନାମର ଡାକ ।ଭୂମି ପୂଜା ସହ ରାମ ମନ୍ଦିରର ମୂଳଦୂଆ ପଡିବ । ଏହାପରେ ପବନ ବେଗରେ ଚାଲିବ ମନ୍ଦିର ନିର୍ମାଣ କାମ । ଅଯୋଧ୍ୟାର ବିଶାଳ ରାମ ମନ୍ଦିର, ୫ଟି ଗମ୍ଭୁଜ ବିଶିଷ୍ଟ ହେବ । ଭଗବାନ ରାମ ବିରାଜିବାକୁ ଥିବା ମୁଖ୍ୟ ମନ୍ଦିରର ଚୂଡା ହେବ ୧୬୧ ମିଟର ଉଚ୍ଚ । ଭୂମି ପୂଜନ ସମାରୋହ ପାଇଁ ତିଆରି ହେଉଛି ୧ଲକ୍ଷ ୧୧ ହଜାର ଲଡୁ । ପ୍ରଧାନମନ୍ତ୍ରୀ ମୋଦି ଭଗବାନ ରାମଙ୍କୁ ଏହି ଲଡୁ ଭୋଗ କରିବେ । ପରେ ଲଡୁ ପ୍ରସାଦକୁ ଭକ୍ତ ଏବଂ ବିଭିନ୍ନ ରାଜ୍ୟର ମନ୍ଦିରକୁ ପଠାଯିବ ।

ମନ୍ଦିରର ଭୂମି ପୂଜନରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଭିଆଇପି ରୋଡ୍ ଉପରେ ଡ୍ରୋନରେ ନଜର ରଖାଯାଇଛି । ସହରରେ ଦୋକାନ ଖୋଲା ରହିବ, ହେଲେ ୫ ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ସୁରକ୍ଷାକର୍ମୀଙ୍କ କୋଭିଡ୍ ପରୀକ୍ଷା କରାଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ୪୫ ବର୍ଷରୁ କମ୍ କୋଭିଡ୍ ନେଗେଟିଭ୍ ଆସିଥିବା ସୁରକ୍ଷା କର୍ମୀ ।

ରାମ ଜନ୍ମଭୂମି ଆନ୍ଦୋଳନର ଦୁଇ ମୁଖ୍ୟ ପୁରୋଧା ତଥା ବିଜେପିର ଦୁଇ ବରିଷ୍ଠ ନେତା ଏଲକେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀ ରାମ ମନ୍ଦିର ଭୂମି ପୂଜନ ସମାରୋହରେ ସାମିଲ ହେବାକୁ ଅଯୋଧ୍ୟା ଯିବେନି । ଦଳର ଏହି ପ୍ରତିଷ୍ଠାତା ସଦସ୍ୟଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *