ଅନ୍‌ଲାଇନ୍‌ କ୍ଲାସ୍‌ରେ ପ୍ରଧାନ ଶିକ୍ଷକ ଛାଡ଼ିଲେ ଅଶ୍ଳୀଳ ଲିଙ୍କ୍

କଟକ:-ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଖୋଦ୍‌ ପ୍ରଧାନ ଶିକ୍ଷକ ଅଶ୍ଲୀଳ ଫଟୋ ଓ ଭିଡିଓ ଥିବା ଲିଙ୍କ୍‌କୁ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ପୋଷ୍ଟ୍‌ କରିବା ଭଳି ଏକ ଘଟଣା କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ତଳର ଘଟଣା । କଟକ ସହରର ଏକ ବହୁ ପୁରୁଣା ପ୍ରତିଷ୍ଠିତ ସ୍କୁଲ୍‌ର ପଞ୍ଚମ ଶ୍ରେଣୀ ପିଲାମାନଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲା । ଶ୍ରେଣୀର ବହୁ ପିଲା ହ୍ୱାଟସଆପ୍‌ ଗ୍ରୁପ୍‌ରେ ଯୋଡ଼ି ହୋଇ ରହିଥିଲେ । ପାଠପଢ଼ା ଚାଲୁଥିବା ବେଳେ ହଠାତ୍‌ ଉକ୍ତ ଗ୍ରୁପ୍‌ରେ ଏକ ଲିଙ୍କ୍‌ ପଡ଼ିଲା । ସ୍କୁଲ୍‌ର ପ୍ରଧାନଶିକ୍ଷକ ଏହି ଲିଙ୍କ୍‌ ପକାଇଲେ । ଏହି ଲିଙ୍କ୍‌ ଖୋଲିବା ମାତ୍ରେ ଫୋନ୍‌ରେ କେବଳ ଅଶ୍ଲୀଳ ଫଟୋ ଓ ଭିଡିଓ ଚାଲିବାକୁ ଲାଗିଲା । ଛୋଟଛୋଟ ପିଲାମାନେ କ୍ଲାସ୍‌ କରୁଥିବା ବେଳେ ଫୋନ୍‌କୁ ସେମାନଙ୍କ ଅଭିଭାବକମାନେ ଚଲାଉଥିଲେ । ତେଣୁ ଏହା ଦେଖି ବହୁ ଅଭିଭାବକ ଫୋନ୍‌ ବନ୍ଦ କରି ଦେଇଥିଲେ । ପାଠପଢ଼ା ବେଳେ ଏଭଳି ଲଜ୍ଜାଜନକ ଘଟଣା ଭିଭାବକମାନଙ୍କୁ ଉତ୍‌କ୍ଷିପ୍ତ କରିଥିଲା । ତୁରନ୍ତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କଲେ । ଲିଙ୍କ୍‌ ପକାଇଥିବା ପ୍ରଧାନଶିକ୍ଷକଙ୍କ ପାଖକୁ ବହୁ ଅଭିଭାବକ ଓ ଶିକ୍ଷକ ଫୋନ୍‌ କରି ଅଭିଯୋଗ କଲେ । କିଛି ସମୟ ପରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଉକ୍ତ ଲିଙ୍କ୍‌କୁ ଡିଲିଟ୍‌ କଲେ ।

ଏଭଳି ଘଟଣା ଛାତ୍ରଛାତ୍ରୀଙ୍କ ଉପରେ ଅତି ଖରାପ ପ୍ରଭାବ ପକାଇବା ସହ ସ୍କୁଲ୍‌ର ମର୍ଯ୍ୟାଦା ହାନି କରିଥିବାରୁ ତୁରନ୍ତ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିବା ସହ ବହିଷ୍କାର ବା ନିଲମ୍ବନ କରିବା ପାଇଁ ଅଭିଭାବକ ଓ ଅନେକ ପୁରାତନ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *