ଧୂମପାନ କରୁଥିବା ବ୍ୟକ୍ତି କରୋନା ସଂକ୍ରମିତ ହେବାର ଆଶଙ୍କା ଅଧିକ

ନୂଆଦିଲ୍ଲୀ:-କରୋନା ଭାଇରସ ସାଧାରଣତଃ ହାତରୁ ମୁହଁ କିମ୍ବା ନାକ ଦ୍ୱାରା ଶରୀରରେ ପ୍ରବେଶ କରିଥାଏ । ଏଣୁ ଧୂମପାନ କରୁଥିବା ବ୍ୟକ୍ତି କରୋନା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ଏଭଳି ଲୋକଙ୍କ ହାତ ବାରମ୍ବାର ଓଠ ସଂସ୍ପର୍ଶରେ ଆସେ । ଏଣୁ ସେମାନଙ୍କ ନିକଟରେ ସଂକ୍ରମଣର ଭୟ ଅଧିକ ରହିଛି’ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏକ ରିପୋର୍ଟ ଜାରି କରି ଏଭଳି ଚେତାବନୀ ଦେଇଛି ।

‘କୋଭିଡ-୧୯ ଓ ଭାରତରେ ଟବାକୋର ବ୍ୟବହାର’ ଶୀର୍ଷକରେ ଜାରି ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଧୂମପାନ କରିବା ବ୍ୟତୀତ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଲୋକ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି । ଧୂମପାନ ଦ୍ୱାରା ଫୁସଫୁସ ଦୁର୍ବଳ ହୋଇଯାଏ । କରୋନା ଭାଇରସ ଫୁସଫୁସ୍‌ ଉପରେ ଏହାର ପ୍ରଭାବ ବିସ୍ତାର କରିଥାଏ । ଏଣୁ ସେଭଳି ବ୍ୟକ୍ତି ସଂକ୍ରମିତ ହେଲେ ଚିକିତ୍ସା ଅଧିକ କଷ୍ଟକର ହୋଇଥାଏ । ଅନେକ କ୍ଷେତ୍ରରେ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି । ୱାଟର ପାଇପ୍‌ସ ଏବଂ ହୁକାହ୍‌ ଅନେକ ଲୋକ ବ୍ୟବହାର କରନ୍ତି । ଯାହା ଭାଇରସ ବ୍ୟାପିବାର ପ୍ରମୁଖ ମାଧ୍ୟମ ହୋଇପାରେ ବୋଲି କୁହାଯାଇଛି । ଧୂମପାନ କରୁଥିବା ଲୋକଙ୍କର ଇମ୍ୟୁନୋ କୋଷଗୁଡିକ ଦୁର୍ବଳ ହୋଇଯାଇଥାଏ । କରୋନା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ଏଭଳି ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅପେକ୍ଷାକୃତ କମ୍‌ ରହିଥାଏ । ଫଳରେ ସେମାନେ କରୋନା ସଂକ୍ରମିତ ହୋଇଥାନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *