ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍

ଭୁବନେଶ୍ୱର:-ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆଉ ୫ଜଣ ଓଏଏସ୍ ଅଧିକାରୀ ଏବଂ ୩୨ଜଣ ଓଡ଼ିଶା ରାଜସ୍ୱ ସେବାର ଅଫିସରଙ୍କୁ ୨୦ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ବଲାଙ୍ଗିର ଡେପୁଟି କଲେକ୍ଟର ସରୋଜ କୁମାର ରାଉତ, ବୌଦ୍ଧ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଝାରସୁଗୁଡ଼ା ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ, କନ୍ଧମାଳ ଡେପୁଟି କଲେକ୍ଟର ଜଗଦୀଶ ଷଡ଼ଙ୍ଗୀ ଓ ଲହୁଣିପଡ଼ା ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ୧୫ତାରିଖ ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଅଫିସରମାନେ ସେଠାରେ କରୋନା ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।

ସେହିପରି ଓଡ଼ିଶା ରାଜସ୍ୱ ସେବାର ୩୨ଜଣ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। ଏହି ଅଫିସରମାନଙ୍କୁ ଜୁଲାଇ ୧୭ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବାକୁ ସେମାନଙ୍କ ଉପରିସ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସେମାନଙ୍କୁ ୨୦ତାରିଖ ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ ୬ଜଣ ବରିଷ୍ଠ ଓଏଏସ୍ ଅଫିସର ଓ ୩ଜଣ ଆଇଏଏସ ଅଫିସରଙ୍କୁ ଗଞ୍ଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ପଠାଇଥିଲେ ।

Leave a Reply

Your email address will not be published. Required fields are marked *