ଗଲୱାନ୍ ଉତ୍ତେଜନା ପଛରେ ଜାଣନ୍ତୁ ହାତ କାହାର,

ନୂଆଦିଲ୍ଲୀ :-ସୀମାରେ ଆକ୍ରମକ ରଣନୀତି ଲାଗି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ହିଁ ସେନାକୁ ଦିଶାନିର୍ଦ୍ଦେଶ ଦେଇଥାଏ। ଚୀନ୍‌ କ୍ଷେତ୍ରରେ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ୱେଇ ଫେଙ୍ଗ ହେ ଏଥିପାଇଁ ସେନାକୁ ନିର୍ଦ୍ଦେଶ ଦେଉଛନ୍ତି। ଦେଶର ବିସ୍ତାରବାଦୀ ନୀତି ଲାଗି ସେନା ଉଗ୍ର ହେବା ଆବଶ୍ୟକ। ଏଣୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉଦ୍ଦେଶ୍ୟ ପୂର୍ତ୍ତି ଲାଗି ୱେଇ ଫେଙ୍ଗହେଙ୍କୁ  ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି।ୱେଇ ମଧ୍ୟ ଜଣେ ସାମରିକ କର୍ମଚାରୀ ଥିଲେ। ଏଣୁ ସେନାକୁ କିପରି ଆକ୍ରମକ କରିହେବ ସେ ସନେଇ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। ୧୯୫୪ ମସିହାରେ ଜନ୍ମିତ ୱେଇ ଫେଙ୍ଗ ହେ ୧୯୭୦ ମସିହାରେ ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ଯୋଗଦେଇଥିଲେ। ନ୍ୟାସନାଲ ଡିଫେନ୍ସ ୟୁନିଭର୍ସିଟିରେ ଗ୍ରାଜୁଏସନ କାଳରେ ୱେଇ କୋ-ଅର୍ଡିନେଟେଡ୍ ଅପରେସନ କମାଣ୍ଡରେ ପରଦର୍ଶିତ ହାସଲ କରିଛନ୍ତି। ପରେ ସେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ କେନ୍ଦ୍ରୀୟ କମିଟି ସଦସ୍ୟ ମଧ୍ୟ ହୋଇଥିଲେ। ୱେଇ ଚୀନ୍‌ ସେଣ୍ଟ୍ରାଲ ମିଲେଟ୍ରି କମିଶନ ସମେତ ପିଆରସି ମିଲେଟ୍ରି କମିଶନ ସଦସ୍ୟତା ମଧ୍ୟ ହାସଲ କରିଛନ୍ତି।  ସେନାରେ ତାଙ୍କୁ ଜେନେରାଲ ପଦବୀ ମିଳିଛି। ତେବେ ଚୀନ୍‌ ସରକାରର ସହଯୋଗୀ ହେବା ପୂର୍ବରୁ ୱେଇ ଚୀନ୍‌ ମିସାଇଲ ଫୋର୍ସ ପ୍ରାଗ୍ରାମର କମାଣ୍ଡର ଥିଲେ। ସେନାର ଦ୍ରୁତ ଆଧୁନିକିକରଣ ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଥିଲେ। ଏଣୁ ସେ ଆମେରିକା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତ ସେନାର ମାର୍ଗଦର୍ଶକ ପାଲଟିଛନ୍ତି ୱେଇ।

ଆମେରିକା ମଧ୍ୟ ୱେଇଙ୍କୁ ମାନିଛି ଲୁହା
ୱେଇଙ୍କ ନେତୃତ୍ୱରେ ଚୀନ୍‌ର ମିସାଇଲ ପ୍ରୋଗ୍ରାମକୁ ଆମେରିକା ରଣନୈତିକ କମାଣ୍ଡ ମୁଖ୍ୟ ବିଶ୍ୱର ସର୍ବୋତ୍ତମ ସ୍ୱୀକାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଇୱାନକୁ ଟାର୍ଗେଟ୍ କରିବା ଲାଗି ଚୀନ୍‌ ବିଭିନ୍ନ ରେଞ୍ଜର କ୍ଷେପଣାସ୍ତ୍ର ସମେତ ଆମେରିକା ଓ ମିତ୍ର ରାଷ୍ଟ୍ରଙ୍କ ମୁକାବିଲା ଲାଗି ରୋଡ ମୋବାଇଲ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ ମଧ୍ୟ ବିକଶିତ କରିଛି। ସାମରିକ କ୍ଷେତ୍ରରେ ଚୀନ୍‌ର ଏହି ପ୍ରଗତିକୁ ୱେଇଙ୍କ ଉପଲବ୍ଧି ବୋଲି ମଧ୍ୟ ବିଚାର କରାଯାଏ।ଗଲୱାନ୍‌ ଉତ୍ତେଜନା ପଛରେ ବି ତାଙ୍କର ହାତ
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ସୀମା ସୁରକ୍ଷା ଦାୟିତ୍ୱ ୱେଇଙ୍କ ଉପରେ ନ୍ୟସ୍ତ। ଏଣୁ ବିଭିନ୍ନ ସୀମା ସହ ଭାରତ ସୀମାରେ ମଧ୍ୟ ସେନା ତାଙ୍କ ନିର୍ଦ୍ଦେଶରେ ଆକ୍ରମକତା ପ୍ରଦର୍ଶନ କରିଥିଲା। ଏଲଏସିକୁ ନିଜ ସୈର୍ବଭୌମ କ୍ଷେତ୍ର ବୋଲି ଚୀନ୍‌ ସେନା ଜୋର ଜବରଦସ୍ତ ଦାବି କରିଥିଲା। କୁଟନୈତିକ ସୁସମ୍ପର୍କ କାଳରେ ଚୀନ୍‌ ସେନାର ଚାଲ ବୁଝି ନ ପାରିବା ଭାରତୀୟ ସେନାର ମସ୍ତ ବଡ ଭୁଲ ଥିଲା। ହେଲେବି ଭାରତୀୟ ସେନାର ଜବାବ ଓ ସରକାରଙ୍କ କୂଟନୀତି ଆଗରେ ୱେଇଙ୍କ ଆକ୍ରମକତା ଏବେ ହାର ମାନିଛି। ଏଥିପାଇଁ  ଏବେ ଚୀନକୁ ବହୁ ମୂଲ୍ୟ ଦେବାକୁ ପଡିବ ୱେଇ ବୁଝିଗଲେଣି। ହେଲେ ଚୀନ୍‌ ପ୍ରତି ବିଶ୍ୱର ପରିବର୍ତ୍ତିତ ଅଭିମୁଖ୍ୟ କିପରି ବଦଳାଇବେ ସେ ନେଇ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଦ୍ଧିବଣା ହୋଇଛନ୍ତି।

Leave a Reply

Your email address will not be published. Required fields are marked *