ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ କରୋନା ସଂକ୍ରମିତ ଚିହ୍ନଟ, ୮ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:- ରାଜ୍ୟରେ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୧୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ୫୬୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୮୧ ଜଣ, ରାୟଗଡ଼ା ଜିଲ୍ଲାରୁ ୭୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ, ବରଗଡ଼ ଜିଲ୍ଲାରୁ ୨୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ, ସମ୍ବଲପୁର ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ୬ ଜଣ ଲେଖାଏଁ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ ୪ ଜଣ, ଢ଼େଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, ଝାରସୁଗୁଡା ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୫୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୯ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Leave a Reply

Your email address will not be published. Required fields are marked *