ଚାଷୀଙ୍କଠାରୁ କ୍ଷୀର କିଣୁନାହିଁ ଓମଫେଡ: ୨୦ ହଜାରରୁ ଅଧିକ ଦୁଗ୍ଧ ଚାଷୀ ଲକ ଡାଉନ୍ ଯୋଗୁଁ ପ୍ରଭାବିତ

ପୁରୀ:-କରୋନା କଟକଣା ଭିତରେ ବଜାରରେ କ୍ଷୀରର ମାନ୍ଦାବସ୍ଥା ଦର୍ଶାଇ ଓମଫେଡ୍ ଚାଷୀଙ୍କ ଠାରୁ କ୍ଷୀର କିଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କେବଳ ଡେଲାଙ୍ଗ ନୁହେଁ ପୁରୀ ଜିଲ୍ଲାର ପ୍ରାୟ ୨୦ ହଜାର ଦୁଗ୍ଧ ଚାଷୀ କରୋନା ଲକ ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ପୁରୀ ଜିଲ୍ଲାରୁ ଦିନକୁ ପ୍ରାୟ ୭୦ ଲିଟର କ୍ଷୀର କିଣିଥାଏ ଓମଫେଡ୍ । ଏବେ ୨ରୁ ୩ ଦିନ ହେବ ଓମଫେଡ୍ କ୍ଷୀର କିଣୁନାହିଁ । ଏଭଳି ସ୍ଥିତିରେ ଚାଷୀ କ୍ଷୀରକୁ କ’ଣ କରିବେ? କାହାକୁ ବିକ୍ରୀ କରିବେ? କ୍ଷୀର ବିକ୍ରୀ ନହେଲେ କେଉଁଠୁ ଟଙ୍କା ଆଣି ଗାଇଙ୍କୁ ଦାନା ଦେବେ ବୋଲି ପ୍ରଶ୍ନ କରିଛନ୍ତି ଡେଲାଙ୍ଗର ଦୁଗ୍ଧ ଚାଷୀ ।ଲକ୍ ଡାଉନର ଆଜି ତୃତୀୟ ଦିନ । ଆଜି କଟକଣାକୁ କଡାକଡି କରିଛି ପୋଲିସ୍ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ପୋଲିସ । ଏବଂ ଅତି ଆବଶ୍ୟକ ନପଡିଲେ ଘରୁ ପଦାକୁ ନବାହାରିବାକୁ ନିର୍ଦ୍ଦେଶ ଲୋକମାନଙ୍କୁ ବୁଝାଉଛନ୍ତି । ସେହିପରି ବାଇକ୍ ଓ କାର ନଆଣିବାକୁ ସଚେତନ କରୁଛନ୍ତି । ଆଜିଠାରୁ ଅଧାରୁ ଅଧିକ ଓଡ଼ିଶାକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ାକୁ ତାଲା ବନ୍ଦ କରାଯାଇଛି ।ପୂର୍ବରୁ ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାକୁ ତାଲା ବନ୍ଦ ଘୋଷଣା କରାଯାଇଥିଲା । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ୮ଟି ସହରକୁ ତାଲାବନ୍ଦ ଘୋଷଣା କରାଯାଇଥିଲା । କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । କେବଳ ସେତିକି ନୁହେଁ ଆଜି ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରି ଦେଇଛନ୍ତି ସରକାର । ସିଟି ବସ୍ ଗୁଡିକୁ ଗତ ମଧ୍ୟ-ରାତ୍ରିରୁ ବନ୍ଦ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *