ଦେବଦୂତ ସାଜିଲେ ପିସିଆର-୯ର କର୍ମଚାରୀ,ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳା ଏବଂ ଦୁଇ ପିଲାଙ୍କୁ ଦେଲେ ନୂଆ ଜୀଵନ

ଭୁବନେଶ୍ୱର:- ଅନେକ ସମୟ ଲୋକେ ପୋଲିସକୁ ନକରାତ୍ମକ ରୂପରେ ଦେଖନ୍ତି। ପୋଲିସ ଲୋକଙ୍କୁ ବିନା କାରଣରେ ପିଟିବା ଏବଂ ଟଙ୍କା ନ ନେଲେ କାର୍ଯ୍ୟ ନ କରିବା ଭଳି ଚିନ୍ତା ଧାରା ଲୋକଙ୍କ ମୁଣ୍ଡରେ ଘର କରି ରହିଛି। ହେଲେ ପୋଲିସ ସହଯୋଗ ଓ ସାହାଯ୍ୟ କରୁଥିଲେ ମଧ୍ୟ ଖୁବ କମ ସମୟରେ ତାହା ପଦାକୁ ଆସୁଛି। ପୋଲିସ ଅନେକ ଭଲ କାର୍ଯ୍ୟ କରୁଥିଲେ ମଧ୍ୟ ତାହା ଲୋକଲୋଚନଙ୍କୁ ଆସୁନାହିଁ। ଲୋକଙ୍କ ମନେରେ ଥିବା ପୋଲିସ ପ୍ରତି ଏଭଳି ଚିନ୍ତାଧାରାକୁ ଭୁଲ ପ୍ରମାଣ କରି ଦେଖାଇଛି ଲଷ୍ମୀସାଗର ପିସିଆର ଭ୍ୟାନ-9ର କର୍ମଚାରୀ। ଗୁରୁବାର ରାତି 10ଟା ସମୟରେ ବମୀଖାଲ ଓଭରବ୍ରିଜ ତଳ ଟ୍ରେନ ଲାଇନ ଆଗକୁ ଡେଇଁ ଆତ୍ମହତ୍ୟା କରୁବାକୁ ଯାଉଥିବା ଜଣେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କ ଜୀବନ ବଞ୍ଚାଇ ନୂଆ ଜୀବନ ଦେଇଛନ୍ତି ଏହି ପିସିଆର-9ର କର୍ମଚାରୀ। ଏପରିକି ମହିଳା ଏବଂ ତାଙ୍କ ପିଲାଙ୍କୁ ଖାଇବାକୁ ଦେଇଛନ୍ତି ପିସିଆର ଡ୍ରାଇଭର ଅଜୟ କୁମାର ବିଶ୍ବାଳ। ପରେ ମହିଳାଙ୍କୁ ବୁଝେଇବା ପରେ ତାଙ୍କ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରିଛନ୍ତି। ପୋଲିସ 3ଟି ଜୀବନ ବଞ୍ଚାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ପିସିଆର କର୍ମଚାରୀଙ୍କୁ ପ୍ରସଂଶା କରାଯାଇଛି। ଉଦ୍ଧାର ମହିଳା ହେଲେ ଜିଜିପି କଲୋନିର ନିରୂପମା ସାହୁ।
ମିଳିଥିବା ସୂଚନା ଅନୁଯାୟୀ, 15ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଜିଜିପି କଲୋନିରେ ରହୁଥିବା ରବୀନ୍ଦ୍ର ସାହୁ ନିରୂପମାଙ୍କୁ ବିବାହ କରିଥିଲେ। ଇତି ମଧ୍ୟରେ ତାଙ୍କର ଦୁଇ ପିଲା ଅଛି। ହେଲେ ମଝିରେ ମଝିରେ ଆର୍ଥିକ ପରିସ୍ଥିତିକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ। ସବୁଥର ପରି ଗୁରୁବାର ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ହେଲେ ପୂର୍ବ ଅପେକ୍ଷା ଏଥର ଝଗଡା ଅଧିକ ଜଟିଳ ହୋଇଥିଲା। ଏପରିକି ରବୀନ୍ଦ୍ର ସ୍ତ୍ରୀକୁ ମାଡ଼ ମାରିଥିଲେ। ଶେଷରେ ନିରୂପମା ଦୁଇ ପିଲାଙ୍କୁ ନେଇ ଚାଲି ଚାଲି ବମୀଖାଲ ଓଭରବ୍ରିଜ ନିକଟରେ ପହଞ୍ଚି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଟ୍ରେନକୁ ଅପେକ୍ଷା  କରିଥିଲେ। ହେଲେ ଏହି ସମୟରେ ପାଟ୍ରୋଲିଂ କରୁଥିବା ପିସିଆର-9 ଏହା ଦେଖି ତୁରନ୍ତ ଟ୍ରେନ ଲାଇନଙ୍କୁ ଦୌଡ଼ି ଯାଇ ନିରୂପମା ଏବଂ ତାଙ୍କ ଦୁଇ ଛୋଟ ପିଲାଙ୍କୁ ଅଟକାଇ ଦେଇଥିଲେ। ସେମାନଙ୍କୁ ଅଟକାଇବାର 4 ମିନିଟ ପରେ ଉକ୍ତ ଟ୍ରାକରେ ଟ୍ରେନ ଯାଇଥିଲା। ଯଦି ଟିକେ ବିଳମ୍ବ ହୋଇଥାନ୍ତା ତେବେ 3ଟି ଜୀବନ ଚାଲି ଯାଇଥାନ୍ତା। ଏହା ପରେ ପୋଲିସ ମହିଳାକୁ ବୁଝେଇ ଆଣିବା ପରେ ଗୋଟେ ସ୍ଥାନରେ ବସାଇ ବୋଝେଇଥିଲେ। ମହିଳା ଏବଂ ତାଙ୍କ ପିଲା ଖାଇ ନଥିବା ଜାଣି ନିଜେ ଖାଇବା ପାଇଁ ଟିଫିନ ଆଣିଥିବା ପିସିଆର ଡ୍ରାଇଭର ଅଜୟ ତାଙ୍କୁ ଖାଇବାକୁ ଦେଇଥିଲେ। ଏହା ପରେ ମହିଳାଙ୍କ ସ୍ୱାମୀଙ୍କୁ ଡାକିବା ପରେ ସେ ଆସିଥିଲେ। ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ପାଟି କରିବା ସହ ଯେପରି ଆଗକୁ ଝଗଡା ନ କରି ମିଳିମିଶି ରହିବେ ସେଥିପାଇଁ ଏକ ଚୁକ୍ତିନାମା କରିବା ପରେ ମହିଳା ଏବଂ ପିଲାଙ୍କୁ ରବୀନ୍ଦ୍ର ଘରକୁ ନେଇଥିଲେ। ମହିଳାଙ୍କୁ ଉଦ୍ଧାର ସମୟରେ ପିସିଆର କର୍ମଚାରୀ ଗୃହରଖି କଳିଙ୍ଗସେନ ପ୍ରଧାନ, ଫୋର୍ସ ସଞ୍ଜୟ ସାହୁ ଓ ହାବିଲଦାର ପ୍ରତାପ ମୁଣ୍ଡା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *