ଗହୀରମଥା ରେଞ୍ଜ୍ ନିକଟ ସମୁଦ୍ରରେ ଭାସୁଛି ୪୦ ଫୁଟ ତିମିର ମୃତଦେହ

ମହାକାଳପଡ଼ା:-କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟର ଗହୀରମଥା ରେଞ୍ଜ୍‌ ଅଧୀନ ଅଗରନାସୀ ସମୁଦ୍ରରେ ଏକ ବିରାଟକାୟ ତିମିର ମୃତଦେହ ଆଜି ଭାସୁଥିବାର ଦେଖିବାକୁ ମିଳିଛି । ମୃତ ତିମିର ଲମ୍ୱ ପ୍ରାୟ ୪୦ରୁ ୪୨ ଫୁଟ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଦୀର୍ଘ ୪ ବର୍ଷ ହେବ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳରେ ବିଶାଳ ତିମିର ମୃତଦେହ ଦେଖିବାକୁ ମିଳୁଛି । ଏହି ତିମିର ମୃତ୍ୟୁର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇପାରିନି । ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି । ଗତ ୧୯ ଓ ୨୦ ତାରିଖରେ ହୋଇଥିବା ମହାବାତ୍ୟା ଅମ୍ଫାନର ତିମିର ମୃତ୍ୟୁ ହୋଇଥାଇପାରେ ବୋଲି ରାଜନଗର ଡିଏଫ୍‍ଓ ବିକାଶ ରଞ୍ଜନ ଦାଶ କହିଛନ୍ତି । ଡିଏଫ୍‌ଓଙ୍କ କହିବାନୁସାରେ ଏନେଇ ଅନୁସନ୍ଧାନ ଜାରି ରହିଛି । ଏଥିପାଇଁ ରାଜନଗର ବନ ବିଭାଗ ତିମି ମାଛ ବିଶାରଦମାନଙ୍କ ସହାୟତା ଲୋଡ଼ିଛନ୍ତି । ଏହି ଅଞ୍ଚଳରେ ଏହା ଚତୁର୍ଥ ମୃତ ତିମି ଉଦ୍ଧାର ଘଟଣା ବୋଲି ଜଣାପଡ଼ିଛି ।

୨୦୧୭ ମସିହାରେ ଏହି ସମୁଦ୍ର ଉପକୂଳର ହାବେଳିଖଟି ନିକଟରେ ଏକ ବିଶାଳ ତିମିର ଗଳିତ ମୃତଦେହ ଅଧା ବାଲିରେ ପୋତି ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୮ ମସିହାରେ ହାବେଳିଖଟି ଉପକୂଳରେ ୫୨ ଫୁଟ ଲମ୍ୱ ଏକ ତିମିର ଗଳିତ ଶରୀର ପଡ଼ିଥିଲା । ୨୦୧୯ରେ ଆଉ ଏକ ତିମିର ମୃତଦେହ ଭିତରକନିକାର ବାଉଁଶଗଡ଼ି ନଦୀର ଅହିରାଜପୁର ଗ୍ରାମରେ ଦେଖାଯାଇଥିଲା । ଅଗରନାସୀ ସ୍ଥିତିକୁ ଦେଖିଲେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପାଖରୁ ମାତ୍ର ୩ରୁ ୪ କିଲୋମିଟର ଜଳପଥରେ ଯିବାକୁ ପଡ଼େ । ଏଠାରେ ଅଲିଭ ରିଡ୍‌ଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗର ଏକ ଅସ୍ଥାୟୀ କ୍ୟାମ୍ପ ରହିଥାଏ । ଏଠାରେ ୫ରୁ ଊଦ୍ଧ୍ୱ କର୍ମଚାରୀ ପ୍ରହରା ଦେଇଥାନ୍ତି । ଏଠାରେ ବିଶାଳ ତିମିର ମୃତଦେହ ଉଦ୍ଧାର ହେବା ପରେ ଅଭୟାରଣ୍ୟର ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *