SCBରେ ନିରାଶ୍ରୟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ବସୁଛି ଠେଙ୍ଗା ପାହାର

କଟକ : ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧୀନ ନିରାଶ୍ରୟ ରୋଗୀଙ୍କୁ ମାଡ଼ ମରାଯାଉଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବଡ଼ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ହୋସ୍‌ ଉଡିଯାଇଛି। ନିରାଶ୍ରୟ ରୋଗୀଙ୍କୁ ମାଡ଼ ମରାଯିବା ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ସେପଟେ ରୋଗୀଙ୍କୁ ମାଡ଼ ମାରୁଥିବା ଟିକ୍‌ଟକ ଦିଦିକୁ ନେଇ କଟକରେ ହେଉଛି ଚର୍ଚ୍ଚା।

ନିରାଶ୍ରୟ ରୋଗୀ ଭଲ ଚିକିତ୍ସା ପାଇବେ। ସେହି ଲକ୍ଷ୍ୟରେ ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ କଟକ ଏସ୍‌ସିବିର ବିଭିନ୍ନ ବିଭାଗରେ ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ୧୦ଟି ଡେଷ୍ଟିଚ୍ୟୁଟ୍‌ ଓ୍ୱାର୍ଡ ଖୋଲା ଯାଇଛି। ଏଠାରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା ହୋଇଛି।

ଏହା ସତ୍ତ୍ୱେ ଏଠି ରୋଗୀଙ୍କୁ ଚିକିତ୍ସା କମ୍‌ ନିର୍ଯାତନା ବେଶୀ ଦିଆଯାଉଛି। ସର୍ଜରୀ ବିଭାଗ ଡେଷ୍ଟିଚ୍ୟୁଟ୍‌ ଓ୍ୱାର୍ଡରେ ଡାକ୍ତର କି ନର୍ସଙ୍କ ପାଦ ପଡୁନଥିବାରୁ ଆଟେଣ୍ଡାଣ୍ଟମାନେ ରୋଗୀ ସେବା କରୁଛନ୍ତି ! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁରୁଷ ଡେଷ୍ଟିଚ୍ୟଟ୍‌ ଓ୍ୱାର୍ଡରେ ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଦେଖିବାକୁ ମିଳୁଛି। ଚିକିତ୍ସା ଅଭାବରୁ ନିରାଶ୍ରୟ ରୋଗୀଙ୍କ ଗୋଡ଼ ଓ ମୁଣ୍ଡରେ ପୋକ ସାଲୁବାଲୁ ହୋଇଛନ୍ତି। ଅବହେଳାର ଏମିତି ଦୟନୀୟ ଦୃଶ୍ୟର ଭିଡିଓ ଭାଇରାଲ୍‌ ହେଉଛି।

ଏଥିରେ ଦେଖିବାକୁ ମିଳିଛି, ଜଣେ ଆଟେଣ୍ଡାଣ୍ଟ୍‌ ହାତରେ ବାଡ଼ି ଓ ଅନ୍ୟ ଜଣଙ୍କ ହାତରେ ଠେଙ୍ଗା ଧରିଛନ୍ତି। ସେମାନେ ଅତି ଦୟନୀୟ ଭାବେ ଜଣେ ଅସହାୟ ରୋଗୀଙ୍କୁ ଓ୍ୱାର୍ଡ ଭିତରେ ମାଡ଼ ମାରୁଛନ୍ତି। ଯାହାକୁ ବର୍ଣ୍ଣନା କରିବା ସମ୍ଭବପୁର ନୁହେଁ। ମେଡିକାଲ୍‌ କର୍ମଚାରୀଙ୍କ ଏପରି ବ୍ୟବହାର ବୁଦ୍ଧିଜୀବୀଙ୍କ ଅକଲ ଗୁଡୁମ ହୋଇଯାଇଛି।

Leave a Reply

Your email address will not be published. Required fields are marked *